◾◼️⬛ ବିଭାବରୀ କୃଷ୍ଣ ପଣତରେ ⬛◼️◾ ◾🔹▪️ସାମାନ୍ୟ କଥନ ▪️🔹◾ ଅଳ୍ପ କଥାରେ ବେଶୀ କହି ହୋଇ ଯାଉଥିବା ସାହିତ୍ୟର ମାଧ୍ୟମଟି ହେଲା "ଗଳ୍ପ" । କାହାଣୀ ଓ ଗଳ୍ପ ମଧ୍ୟରେ ସୁନ୍ଦର ପ୍ରଭେଦଟିଏ ହେଲା - କାହାଣୀ ସମ୍ପୂର୍ଣ୍ଣ କଳ୍ପନା ଭିତ୍ତିକ । ଯେମିତିକି ଅବୋଲକରା କାହାଣୀ, ଶୁଆଶାରୀ କାହାଣୀ ଏବଂ ଭୂତପ୍ରେତ କାହାଣୀ । ଗଳ୍ପ ଭିତରେ ରହିଥାଏ ଏକ ସତ୍ୟ ଆରୋପିତ ଜୀବନର ଚିତ୍ର । ଯେଉଁଥିରେ ସ୍ରଷ୍ଟାଟିଏ ଆଙ୍କି ଦେଇଥାଏ ବିଭୋରତାର ଅସୁମାରୀ ଭାବ ଓ ଭାବନା । ଫକୀର ମୋହନଙ୍କ ରେବତୀ ଗଳ୍ପଟିକୁ ଆଧୁନିକ ଯୁଗର ପ୍ରଥମ ଗଳ୍ପ ଭାବରେ ଏଇଥିପାଇଁ ନିଆଯାଇଛି ଯେ, ଏଥିରେ ବର୍ଣ୍ଣିତ ହୋଇଛି ମାଟିର ଦୁଃଖ ଆଉ ସମୟର ଶୀଳାଲିପି । ଆଜିର ସମୟରେ ଉପନ୍ୟାସ ପଛକୁ ପକାଇ ଗଳ୍ପ ନେଇଛି ଉପନ୍ୟାସର ସ୍ଥାନ । ବିନ୍ଦୁରେ ସିନ୍ଧୁ ଦର୍ଶନ କରିବା ପାଇଁ ଗଳ୍ପିକ ଖୋଜୁଥାନ୍ତି ଭାବ ଭାଷା ଏବଂ ଶୈଳୀ । ଯାହାରି ମାଧ୍ୟମରେ ପାଠକର ମନଟି ବାନ୍ଧି ହୋଇଯାଏ କ୍ଷଣିକ ପାଇଁ । ଗଳ୍ପ ପଠନର ଆରମ୍ଭ ହେଲେ ପାଠକଟି ଖୋଜୁଥାଏ ତାର ପରିସମାପ୍ତି । ଶେଷ ଯାଏଁ ଗୋଟିଏ ନିଃଶ୍ବାସରେ ଅସୀମ ବିଭୋରତା ନେଇ ପଢିଚାଲେ ପାଠକ । ଗାଳ୍ପିକଙ୍କର ସାମାନ୍ୟ ଲକ୍ଷ୍ମଣଗାରକୁ ଡେଇଁ ସେ ଆବିଷ୍କାର କରେ ଗଳ୍ପ ମଧ୍ୟରେ ଥିବା ବିଶେଷ କଥନକୁ। କଥନରେ କ'ଣ ନ ଥାଏ ସତେ ? ? ? ଥାଏ ସେଥିରେ ଲୁହ କୋହ ବୁଝିବା ଆଉ ବୁଝେଇବାର ଅମୁହାଁ ଦେଉଳର ମୁଖଶାଳା ଏବଂ ତା ସହିତ ନିବିଡ ହୋଇଯିବାର ଅନ୍ତରଙ୍ଗ ମୁହୂର୍ତ୍ତ । ବେଳେବେଳେ ଲାଗେ ପଢୁଥିବା କାହାଣୀଟି ସତେ ଯେମିତି ତା ଜୀବନର । ଏଇତ ଗଳ୍ପ ! ! ! ଯାହାର ପାଠରେ ଅବିଭୂତ ହୁଏ ପାଠକ, ଖୋଜିହୁଏ ସମସ୍ତ ଗଳ୍ପ ମଧ୍ଯରେ ସିଏ କେତେ ଅଛି ? କାହାଣୀ ଅତି ସାଧାରଣ କିନ୍ତୁ ତାକୁ ଅସାଧାରଣ କରି ଦିଅନ୍ତି ଗାଳ୍ପିକ ନିଜର ବିଦଗ୍ଧ ଭାବନାରେ । ମନେହୁଏ ଗାଳ୍ପିକଟି ବଡ ପ୍ରେମିକଟିଏ । ହାରିବା ଜିତିବା, ପାଇବା ନ ପାଇବାର ଚୌହଦୀ ମଧ୍ୟରେ ଗାଳ୍ପିକଟିଏ ରହି ଛଟପଟ ହୋଇଥାଏ । ଯେମିତି ମୁଁ ଛଟପଟ ହେଉଥାଏ । ଲେଖିବାର ଅନ୍ୟନାମ ଭାବାବେଗ । ସ୍ରଷ୍ଟାଟିଏ ଏକ ଭିନ୍ନ ଆକର୍ଷଣରେ କଲମ ଚଳାଏ । ତାର ଅନ୍ତରର କଳାଭୂତ ଆକ୍ରମଣରୁ ସେ ନିସ୍ତାର ପାଏନାହିଁ । ଗଳ୍ପ ଶୁଣିବା କହିବା ଯାହା ସେବେ କାହାଣୀଥିଲା, ତାହା ମଣିଷର ଆଦିମ ପ୍ରବୃତ୍ତି । ଆମେ ଅନେକ କାହାଣୀ ଶୁଣିଛେ - ଅଜା ଆଈ ବୁଢୀମା' ସାଇ ପଡିଶା ଏବଂ ଗୁରୁଜୀ ଗୁରୁମା' ଙ୍କ ଠାରୁ । କିନ୍ତୁ ଏବେ ବଦଳି ଯାଇଛି କାହାଣୀର ପରିଭାଷା । ନାହାଁନ୍ତି କାହାଣୀ କହିବା ପାଇଁ ଆପଣାରମାନେ । ସମୟ ସ୍ରୋତରେ ହଜିଗଲେଣି ବିଷ୍ଣୁଶର୍ମା ଅଜାଆଈ ଗାଁ ର ଅବଧାନେ ବୁଢାବୁଢୀ ଗୁରୁଜୀ ଗୁରୁମା' ମାନେ। ଛୋଟ ପିଲାଙ୍କୁ କାହାଣୀ କହିବାକୁ ଆଉ ଆସୁ ନାହାଁନ୍ତି ଗାଁ କୁ ଗଳ୍ପ ସାଗର । ସମୟ ବଦଳିବା ସହିତ ବଦଳି ଯାଇଛି ଛାଏଁ ଛାଏଁ ଗଳ୍ପର ଅନ୍ତଃସ୍ୱର । ସାଧବ ପୁଅର ବଣିଜ ନାହିଁ କି ବୋଇତ ବନ୍ଦାଣ ନାହିଁ। ଶୁଆ ନାହାଁନ୍ତି କି ଶାରୀ ନାହାଁନ୍ତି । ଅନ୍ଧକାର ରାତ୍ରି ଆଜି ଆଲୋକମାଳାରେ ଝଲସି ଉଠୁଛି । ବାଡିପଟ କଇଁଆ ଗଛରେ ଭୂତ ଲୁଚିବା ପାଇଁ ଗଛ ନାହିଁ । ଏବେ ଗପ ଲୁଚୁଛି ବହିର ପୃଷ୍ଠା ଭିତରେ । ଗାଁ ମୁଣ୍ଡ ବରଗଛରେ ଜଳୁଛି ସୋଲାର ଲାଇଟ୍ । ଭୂତ ଡରୁଛି ଲୁଚିବା ପାଇଁ ବରଗଛ କୋରଡରେ । ଅତୀତ ହଜି ଯାଇଛି । ତାରି ଭିତରୁ ବାହାରି ଆସିଛି ନୂଆ କଳ୍ପନା ନୂଆ ସମ୍ଭାବନା । ସେମାନେ ହେଲେ ରେବତୀ, ରାଣ୍ଡୀ ପୁଅ ଅନନ୍ତା, ଅଶୁଭ ପୁତ୍ରର କାହାଣୀ, ନୀଳମାଷ୍ଟ୍ରାଣୀ, ମାଂସର ବିଳାପ, ମଶାଣିର ଫୁଲ, ଡିମିରି ଫୁଲ, ପତକା ଉତ୍ତୋଳନ, ଲକ୍ଷ୍ମୀର ଅଭିସାର ଆଉ ହାତ ଅନ୍ୟାନ୍ୟ ବୋଇତ... ଭାଷା ସରେନି କି ଭାବ ମରେନା । ଭାବ ଭାଷାକୁ ମିଶାଇ ସମୟର ସମର୍ପଣରେ ଗାଳ୍ପିକଟିଏ ଖୋଜି ହେଉଥାଏ, ପୃଥିବୀକୁ ଦେବା ପାଇଁ ସୁନ୍ଦର ଗୋଟିଏ ପରିଭାଷା । ଯାହା ଛୁଇଁଦିଏ ଅଗଣିତ ପାଠକଙ୍କୁ । ଦୃଷ୍ଟିକୋଣଟିଏ ସୂକ୍ଷ୍ମରୁ ସ୍ଥୁଳହେଲେ ସାହିତ୍ୟ ସର୍ଜନା ସମ୍ଭବ ହୁଏ । ମନୁଷ୍ୟକୁ ଭଲପାଇବା ଏବଂ ତାର ସୃଜନ ମନସ୍କତାର ଭାବରୁ ସୃଷ୍ଟି ହୋଇଛି "ବିଭାବରୀ କୃଷ୍ଣ ପଣତରେ" । ଏକାତ୍ମକ ଦୃଷ୍ଟି କୋଣଟି ଲେଖକୀୟ ଜୀବନର ସୁନ୍ଦର ପରିଚୟ ଏବଂ ପରିଭାଷାଟିଏ । କାହାଣୀଭରା ପୃଥିବୀକୁ ନିର୍ନିମେଷ ନୟନରେ ଚାହିଁ ରହନ୍ତି ଗାଳ୍ପିକ। ହୃଦୟର ଗଭୀରତମ ପ୍ରଦେଶକୁ ଛୁଉଁ ଥିବା କାହାଣୀ ଗୁଡିକ ଆଙ୍କିଦିଏ ମନର କାନ୍ ଭାସରେ ଗାଳ୍ପିକ । ବେଳେବେଳେ ଗାଳ୍ପିକଟିଏ ପ୍ରେମ ଦୟା କ୍ଷମା ସୌହାର୍ଦ୍ଦ୍ୟ ଖୋଜୁ ଖୋଜୁ ନିଜେ ନୟାନ୍ତ ହୋଇପଡେ ବିଶ୍ବର ଦୁଃଖରେ । ଲାଗେ " ବିଭାବରୀ କୃଷ୍ଣ ପଣତରେ " ଗଳ୍ପ ସଙ୍କଳନଟି ଏଭଳି ଏକ ସୁନ୍ଦର ଉପହାର । ବିଭାବରୀ - ରଜନୀ, କୃଷ୍ଣ - କଳା, ପଣତରେ - ଅନ୍ତିମ ସମୟରେ, , କାନିରେ । ଜୀବନର ମୋହ ତୁଟାଇ ଦେଇଥିବା ବିଭାବରୀ ଶେଷରେ କୃଷ୍ଣର ପଣତରେ.. ଅନ୍ଧାର ପ୍ରତୀକ୍ଷାର ବେଢାଟିଏ । ଆଲୋକ ମୁକ୍ତିର ଅର୍ଗଳିଟିଏ । ପ୍ରେମିକା ପଣତର ମହକରେ ପ୍ରେମିକ ବାଟଚାଲେ । କେବେ କେବେ ବାଟ... ଭୁଲି ହୋଇଯାଏ । ଅନ୍ଧାର ପଥରେ ବାଟ ଚାଲୁ ଚାଲୁ ବାଟ ଦିଶେ ଏକ ଭିନ୍ନ ଆଲୋକରେ । ବିଭାବରୀ ଏକ ସନ୍ତୁଳନ ଜୀବନକୁ ଆନନ୍ଦରେ ଭରିଦିଏ । ସେହିପରି ସମୁଦ୍ର କୂଳ ଏକ ସିମେଣ୍ଟ ବେଞ୍ଚରେ ବସି ଭାବି ହେଉଥାଏ ସୀତାଂଶୁ । ସେପଟେ ମାୟା ଏପଟେ ଶ୍ୟାମଳୀ । ସୀତାଂଶୁ ବୁଝିଥାଏ ହସର ପାଖୁଡା ନେଇ ଫେରି ଆସିବ ମାୟା । ବେଳା ଭୂମିର ଓଦା ବାଲି ବି ଶ୍ରାବଣ ଅପେକ୍ଷାରେ । ସଞ୍ଜ ବୁଡିଗଲେଣି କେତେବେଳୁ। ଅଫିସରୁ ପାଇଥିବା ନିମନ୍ତ୍ରଣ ପତ୍ର ଖଣ୍ଡକ ତା ହାତରେ ଦେବା ମାତ୍ରେ ସେ ଟିକ୍ ଟିକ୍ କରି ଚିରିଦଲା । ସମୟର ଟୁକୁଡା ଟୁକୁଡା କାଗଜ ଗୁଡିକ ଉଡିଯାଇ ଆଙ୍କି ହୋଇ ଯାଉଥାଏ ସୁନ୍ଦର ଛବିଟିଏ । ଜଣେ ଅମୃତ ପିପାସୁ ତପସ୍ୱୀ ଆଉ ଜଣେ ଅନୁରୁକ୍ତ ନିମଗ୍ନ ଶିଳ୍ପୀ... ଏହା ହିଁ ଗଳ୍ପର ସାରମର୍ମ... ମୁଁ ଏହି କେଇପଦ କଥା ଆପଣ ମାନଙ୍କୁ ପରଶି ଦେଲି । ମୋ ସାମାନ୍ୟ କଥନ କୁ ଆପଣମାନେ ବିଶେଷ କଥନରେ ପରିବର୍ତ୍ତନ କରିବେ । ଏବଂ ଶେଷରେ କହିବେ - "ଅନ୍ତର ଅତୃପ୍ତି ହବେ, ସଙ୍ଗ କଲେ ମନେ ହବେ, ଶେଷ ହଏ, ହଏଲନା ଶେଷ.. ଏଇତ ସେଇ ରବି ଟାଗୋର ସେଦିନ କହିଥିଲେ - ଏହା ହିଁ ଗଳ୍ପ, ପଢି ସାରିଲା ପରେ କିଛି ରହିଗଲା ପରି ମନେହୁଏ । ସମୟର ସ୍ପନ୍ଦନରେ ସମସ୍ତେ ଧାଇଁଛନ୍ତି । ମୁଁ ବି ଧାଇଁଛି । ମୋ ଧାଇଁବା ଆଗରେ ଅଛନ୍ତି ଶଦ୍ଦମାନେ । ମୁଁ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ପାରୁଛି କି ନାହିଁ ଆପଣମାନେ କହିବେ ମୋତେ... ଏକ ବିଶେଷ କଥନ ଭଙ୍ଗୀରେ... ଲଳିତ ମୋହନ ମିଶ୍ର, ନୟାଗଡ଼, ୯୪୩୭୯୮୫୮୬୬